ବିଦେଶୀ, ଅଣହିନ୍ଦୁ ଜାଣିପାରିବେ ଶ୍ରୀମନ୍ଦିର ଇତିହାସ, ଜଗନ୍ନାଥ ସଂସ୍କୃତି

JK Mohanty

ବିଦେଶୀ, ଅଣହିନ୍ଦୁ ଜାଣିପାରିବେ ଶ୍ରୀମନ୍ଦିର ଇତିହାସ, ଜଗନ୍ନାଥ ସଂସ୍କୃତି

ସରକାରଙ୍କୁ ପ୍ରସ୍ତାବ ଦେଲେ ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି 

ଭୁବନେଶ୍ବର,୨୯/୧୦: ପୁରୀରେ ଏବେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋର୍‌ଦାର୍‌ ଚାଲିଛି। ଏହି ସହରକୁ ବିଶ୍ବସ୍ତରୀୟ କରିବା ପାଇଁ କୌଣସି ସୁଯୋଗକୁ ସରକାର ହାତ ଛଡ଼ା କରୁ ନାହାନ୍ତି। ପୁରୀ ପାଇଁ ପରିକଳ୍ପନା କରାଯାଇଥିବା ବହୁ ପ୍ରକଳ୍ପ ମଧ୍ୟରେ ଆଉ ଏକ ପ୍ରକଳ୍ପ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛି ହୋଟେଲ୍‌ ଆଣ୍ଡ୍‌ ରେସ୍ତୋଁରା ଆସୋସିଏସନ ଅଫ୍‌ ଓଡ଼ିଶା(ହାରୋ)। ହାରୋର ଅଧ୍ୟକ୍ଷ ଜେ କେ ମହାନ୍ତି ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ ବହୁ ସଂଖ୍ୟାରେ ଅଣହିନ୍ଦୁ ଓ‌ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। କିନ୍ତୁ ସେମାନଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଜଣାଇବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଏକ ସ୍ବତନ୍ତ୍ର ଅଡିଟୋରିୟମ୍‌ କରାଯାଉ। ସେଠାରେ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ମାଧ୍ୟମରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଦର୍ଶନ କରାଯାଉ। ପୁରୀରେ ଚାଲିଥିବା ଭିତ୍ତିଭୂମି ନିର୍ମାଣ ସମୟରେ ଏହି ଦିଗକୁ ଦୃଷ୍ଟି ଦେବାକୁ ହାରୋ ଅନୁରୋଧ କରିଛି।

ହାରୋର ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏହି ପ୍ରସ୍ତାବରେ ଆହୁରି ଦର୍ଶାଇଛନ୍ତି ଯେ କେବଳ ଅଣହିନ୍ଦୁ ଓ ବିଦେଶୀ ନୁହନ୍ତି, ରାଜ୍ୟ ତଥା ଦେଶ ଭିତରର ଯୁବପିଢ଼ି ମଧ୍ୟ ଶ୍ରୀମନ୍ଦିରର ଇତିହାସ ଓ ସୃଷ୍ଟି ସମ୍ପର୍କରେ ଅନଭିଜ୍ଞ ଅଛନ୍ତି। ତେଣୁ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ଭିତ୍ତିଭୂମି ନିର୍ମାଣ କରାଗଲେ, ସେମାନେ ମଧ୍ୟ ଏ ସମ୍ପର୍କରେ ଜାଣିପାରିବେ। ଏଠାରେ ୩ଡି ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରାଯାଇପାରିବ। ବଡ଼ଦାଣ୍ଡରେ ହେବାକୁ ଥିବା ଲାଇବ୍ରେରି କିମ୍ବା ଧ୍ୟାନ କେନ୍ଦ୍ର ନିକଟରେ ଏହି ଅଡିଟୋରିୟମ୍ ନିର୍ମାଣ କରାଗଲେ ଉପାଦେୟ ହୋଇପାରିବ। ଏହା ସହ ମନ୍ଦିରର ଦୈନିକ ନୀତିକାନ୍ତିକୁ ନେଇ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ୍‌ ପ୍ରସ୍ତୁତ କରିବାକୁ ମଧ୍ୟ ହାରୋ ପ୍ରସ୍ତାବ ଦେଇଛି। ଏପରି ଏକ ଅତ୍ୟାଧୁନିକ ଅଡିଟୋରିୟମ୍‌ ଏବଂ ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ସୋ’ ନିଶ୍ଚିତ ଭାବେ ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ଏହି ଭିତ୍ତିଭୂମି ରାଜ୍ୟ ତଥା ବାହାରୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ହାରୋ ପକ୍ଷରୁ ଏହି ପ୍ରସ୍ତାବର ନକଲ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ୫-ଟି ସଚିବ ଓ ପୂର୍ତ୍ତ ସଚିବଙ୍କୁ ମଧ୍ୟ ପ୍ରଦାନ କରାଯାଇଛି।

Related Blog